ଦେହକୁ ହିତ କଲରା ପତ୍ର ପତୁଆ

ଦେହକୁ ହିତ କଲରା ପତ୍ର ପତୁଆ

ପ୍ରିଜମ ନ୍ୟୁଜ ବ୍ୟୁରୋ: କଲରା ପତ୍ର ଖାଇବାକୁ ସିନା ପିତା ଲାଗିଥାଏ କିନ୍ତୁ ଆମ ଦେହ ପାଇଁ ବହୁତ ହିତକର ଏହା। କଲରା ପତ୍ରରେ ଭିଟାମିନ ଇ ,ଭିଟାମିନ ସି ଓ ଡି ବହୁ ପରିମାଣରେ ରହିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। କଲରା ପତ୍ର ଖାଇବା ଦ୍ୱାରା ରକ୍ତ ପରିସ୍କାର ହୋଇଥାଏ, ଚର୍ମ ରୋଗ ହୋଇନଥାଏ, ମଧୁମେହ ରୋଗରୁ ମୁକ୍ତି ମିଳିଥାଏ। ଏହାସହ କଲରା ପତ୍ର କର୍କଟ ରୋଗକୁ ମଧ୍ୟ ପ୍ରତିହତ କରିଥାଏ। ଯଦି ଆପଣଙ୍କୁ କଲରା ପତ୍ର କଞ୍ଚା ଖାଇବାରେ ଅସୁବିଧା ହେଉଛି କିମ୍ବା କଲରା ପତ୍ର ଭଲ ନୁହେଁ ତେବେ ଏହାର ପତୁଆ ତିଆରି କରି ଖାଆନ୍ତୁ ନିହାତି ଭଲ ଲାଗିବ। ଏହା ଅତ୍ୟନ୍ତ ସ୍ୱାଦୁଷ୍ଟ ହୋଇଥାଏ।

ଆବଶ୍ୟକ ସାମଗ୍ରୀ:

କଲରା ପତ୍ର, ଆଳୁ, କଖାରୁ, ବାଇଗଣ, ସୋରିଷ, ଜିରା, କଞ୍ଚା ଲଙ୍କା, ତେଲ, ରସୁଣ, କଦଳୀ ପତ୍ର, ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ କଲରା ପତ୍ର ଆଣି ତାକୁ ଭଲଭାବେ ଧୋଇ ଦିଅନ୍ତୁ। ଏହାପରେ ସୋରିଷ, ଜିରା, ରସୁଣ ଓ କଞ୍ଚାଲଙ୍କାକୁ ବାଟି ନିଅନ୍ତୁ । ଏବେ କଲରା ପତ୍ରକୁ ଛୋଟ ଛୋଟ କରି କାଟି ଦିଅନ୍ତି କିମ୍ବା ବାଟି ରଖନ୍ତୁ। କିଛି ଆଳୁ, କାଖାରୁକୁ ଅତି ଛୋଟ ଛୋଟ କରି କାଟି ସେଥିରେ ମିଶାନ୍ତୁ। ଏବେ ସେଥିରେ କିଛି ସୋରିଷ ତେଲ, ଲୁଣ ଓ ବାଟି ରଖିଥିବା ମସଲା ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏବେ କଦଳୀ ପତ୍ର କିମ୍ବା ଶାଗୁଆନ ପତ୍ରକୁ ଭଲଭାବେ ଧୋଇ ତା’ ଉପରେ ଅଳ୍ପ ତେଲ ଲଗାଇ, ହାଲୁକା ନିଆଁ ବା ଟାଣ ଖରାରେ ସେକି ନିଅନ୍ତୁ। ଏବେ ସେଥିରେ ପୂର୍ବରୁ ପ୍ରସ୍ତୁତ ମିଶ୍ରଣକୁ ଦେଇ ପତ୍ରକୁ ତିନିରୁ ଚାରି ପରସ୍ତ କରି ବାନ୍ଧି ଦିଅନ୍ତୁ। ଏବେ ତାହାକୁ ହାଲୁକା ନିଆଁ ଅଙ୍ଗାର ଦେଇ ଘୋଡାଇ ରଖନ୍ତୁ। ୧୦ ରୁ୨୦ ମିନିଟ ଭିତରେ ପ୍ରସ୍ତୁତ ହୋଇଯିବ କଲରା ପତ୍ର ପତୁଆ। ଆପଣ ଏହାକୁ ଗରମ ଭାତ ଓ ପଖାଳ ଭାତ ସହିତ ଖାଇପତିବେ । ବାଲେଶ୍ୱର ଅଞ୍ଚଳରେ ମୁଢ଼ିକୁ ପଖାଳି ତା ସହିତ ମଧ୍ୟ ଏହାକୁ ଖାଇଥାନ୍ତି। ଏହାକୁ ରୁଟି ସହ ମଧ୍ୟ ଖାଇ ହେବ। କାରଣ ଏହାର ପିତା ଅଂଶ ବିଶେଷ ନଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: