ନାଲକୋ ଘରୋଇକରଣକୁ ତୀବ୍ର ବିରୋଧ

ନାଲକୋ ଘରୋଇକରଣକୁ ତୀବ୍ର ବିରୋଧ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଓଡ଼ିଶାରେ ପ୍ରତିଷ୍ଠିତ ନବରତ୍ନ କମ୍ପାନୀ ନାଲକୋ ଘରୋଇ କରଣ ପ୍ରସ୍ତାବକୁ ବିରୋଧ କରିଛି ଭାରତୀୟ ମଜଦୂର ସଂଘ। ଏହା ଏକ ଭୟଙ୍କର ଶ୍ରମିକ ବିରୋଧୀ ଓ ଜନ ବିରୋଧି ନିଷ୍ପତି ବୋଲି ଭାରତୀୟ ମଜଦୂର ସଂଘ ଓଡ଼ିଶା ପକ୍ଷରୁ କୁହାଯାଇଛି । ଉନ୍ନତମାନର ବକ୍ସାଇଟ ଓ ଯଥେଷ୍ଟ କୋଇଲା ମହଜୁଦ ଥିବାରୁ କେନ୍ଦ୍ର ସରକାରଙ୍କ ତରଫରୁ ଓଡ଼ିଶା ଭଳିଆ ଏକ ଗରିବ ଓ ଆଦିବାସୀ ବହୁଳ ରାଜ୍ୟରେ ରାଷ୍ଟ୍ରାୟତ ଉଦ୍ୟୋଗ ଭାବେ ନାଲକୋ ପ୍ରତିଷ୍ଠା କରାଯାଇଥିଲା ।୪୨ ବର୍ଷ ତଳେ ପ୍ରତିଷ୍ଠିତ ଏହି ଆଲୁମିନିୟମ କମ୍ପାନୀ ନିରନ୍ତର ଲାଭ କରି ଆସୁଥିବା ବେଳେ ବର୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ୪୬୦୦୦ କୋଟି ଓ ରାଜ୍ୟ ସରକାରଙ୍କୁ ୭୦୦୦ କୋଟି ଟଙ୍କା ପ୍ରଦାନ କରିଛି । ଓଡ଼ିଶାର ହଜାର ହଜାର ଆଦିବାସୀ ଓ ଜମିହରା ଲୋକେ ଉକ୍ତ କମ୍ପାନୀ ଦ୍ଵାରା ନିଯୁକ୍ତ ପାଇ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି। ଏହାସହ ସ୍ଥାନୀୟ ଅଞ୍ଚଳର ଆଦିବାସୀମାନେ ବ୍ୟବସାୟ କରି ରୋଜଗାର କରୁଛନ୍ତି । ସାମଗ୍ରିକ ଭାବେ ଓଡ଼ିଶାର ଲକ୍ଷାଧିକ ଲୋକଙ୍କର ଆର୍ଥିକ ସଶକ୍ତି କରଣ ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋ ଦ୍ଵାରା ହୋଇପାରିଛି । ଘରୋଇ କରଣ ହେବା ଦ୍ଵାରା ବ୍ୟାପକ ଭାବେ ଶ୍ରମିକ ଛଟେଇ ଓ ଶ୍ରମିକ ଶୋଷଣ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏବଂ ନାଲକୋ ଦ୍ଵାରା ହେଇଥିବା ବ୍ୟାପକ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ବନ୍ଦ ହୋଇଯିବ ଏବଂ ଚାକିରିର ସ୍ଥାୟୀତ୍ବ ମଧ୍ୟ ପ୍ରଶ୍ନବାଚି ହୋଇଯିବ ବୋଲି କୁହାଯାଇଛି।ଏଣୁ ଭାରତୀୟ ମଜଦୂର ସଂଘ ଓଡ଼ିଶା ପକ୍ଷରୁ ନାଲକୋ ଘରୋଇ କାରଣକୁ ତୀବ୍ର ବିରୋଧ କରାଯିବା ସହ କେନ୍ଦ୍ର ସରକାରଙ୍କର ବିରୁଦ୍ଧରେ ଗତ ୨୩ ତାରିଖଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ବିରୋଧ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦିଆଯାଇଛି ବୋଲି ସଂଘ ର ରାଜ୍ୟ ସମ୍ପାଦକ ଯୋଗେଶ୍ଵର ଦାସ ଆଜିର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ସରକାରଙ୍କ କରୋନାର ସମସ୍ତ ନିୟମକୁ ପାଳନ କରି ରାୟଗଡ଼ା ମା କାଳୀ ମନ୍ଦିର ଠାରୁ ଏକ ପଦଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ଏବଂ ମାନ୍ୟବର ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ଉପସଭାପତି ମୋହନ ରାଓ ମାଝୀ , ଜିଲ୍ଲା ସଂପାଦକ ଖଗେଶ୍ବର ସିଂ , କିଶୋର କୁମାର ସାହୁ , ପ୍ରମୁଖ ଯୋଗ ଦେଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: