ଶୀତଦିନେ ଡାଲି ପରିବା ଦେଇ ଏମିତି ରାନ୍ଧନ୍ତୁ ବଥୁଆ ଶାଗ

ଶୀତଦିନେ ଡାଲି ପରିବା ଦେଇ ଏମିତି ରାନ୍ଧନ୍ତୁ ବଥୁଆ ଶାଗ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଥୁଆ ଏକପ୍ରକାର ଶାଗ , ଯାହା ବିଷୟରେ ସାଧାରଣତଃ ଅଧିକାଂଶ ଲୋକ ଜାଣି ନଥାନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ ହୋଇଥାଏ । ବଥୁଆ ଶାଗ ଖାଇବା ଦ୍ୱାରା ପେଟରୁ ବ୍ୟାକ୍ଟେରିଆ ମରିଯାଆନ୍ତି। ପେଟ ପାଇଁ ବଥୁଆ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ। ବଥୁଆକୁ ସିଝାଇ ଏହାର ରସ ପିଇବା କିମ୍ବା ତରକାରୀ କରି ଖାଇବା ଦ୍ୱାରା ଚର୍ମ ରୋଗ ମଧ୍ୟ ଦୂର ହୁଏ। ଚର୍ମରୁ ଧଳା ଦାଗ, କୁଣ୍ଡାଇ ହେବା ଭଳି ସମସ୍ୟା ମଧ୍ୟ ଦୂର ହୁଏ।ଏଥିରେ ଭିଟାମିନ୍ ‘ଏ’, ଓ ‘ଡି’ ର ମାତ୍ରା ଭରି ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଫାଇବର ମାତ୍ରାରେ ଏଥିରେ ଭରପୁର ରହିଥାଏ । ଯାହା ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ଗ୍ୟାସ୍ ସମସ୍ୟା ପାଇଁ ମଧ୍ୟ ଏହା ବହୁତ୍ ଲାଭଦାୟକ ହୋଇଥାଏ । ଦାନ୍ତ ସମସ୍ୟା ପାଇଁ ବହୁତ ଲାଭଦାୟକ ବଥୁଆ ଶାଗ । ଆପଣ ଏହାକୁ ଅନେକ ଉପାୟରେ ପ୍ରସ୍ତୁତ କରି ଖାଇ ପାରିବେ। ତେବେ ବଥୁଆ ଶାଗ ଡାଲି ଅଧିକ ସ୍ଵାଦିଷ୍ଟ ହେବା ସହ ଏହାର ସମସ୍ତ ପୋଷାକ ତତ୍ତ୍ଵ ମିଳିଥାଏ। ତେବେ ଚାଲନ୍ତୁ କେମିତି ତିଆରି କରିବେ ବଥୁଆ ଶାଗ ଡାଲି।

ଆବଶ୍ୟକ ସାମଗ୍ରୀ:ହରଡ/ ମୁଗ ଡାଲି, ବଥୁଆ ଶାଗ, ବାଇଗଣ, ଆଳୁ, ଟମାଟୋ, କଖାରୁ ସାରୁ ଆଦି ପରିବା। ଶୁଖିଲା ଲଙ୍କା, ହେଙ୍ଗୁ, ପିଆଜ / ରସୁଣ, ଲୁଣ, ସୋରିଷ, ତେଲ।

ପ୍ରସ୍ତୁତ ପ୍ରଣାଳୀ:ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଡାଲିକୁ ପ୍ରେସର କୁକରରେ ସିଝାଇ ଦିଅନ୍ତୁ। ଏହାପରେ ପୂର୍ବରୁ ବାଛି ରଖିଥିବା ବଥୁଆ ଶାଗକୁ ଭଲ ଭାବେ ଧୋଇ କାଟି ଦିଅନ୍ତୁ। ଡାଲିକୁ ଅଧା ଅଧା ସିଝା କରି ବାହାର କରି ଦିଅନ୍ତୁ। ଗୋଟେ ସିଟି ଆସିବା ପରେ ଏହାକୁ ଧିମା ଆଞ୍ଚରେ ସିଝାନ୍ତୁ। ଏବେ ଏକ କଢେଇରେ ତେଲ ପକାଇ ସେଥିରେ କିଛି ସୋରିଷ, ଅଳ୍ପ ହେଙ୍ଗୁ, ଶୁଖିଲା ଲଙ୍କା ପକାନ୍ତୁ, ଏବେ ସେଥିରେ ପିଆଜ, ଛେଚା ରସୁଣ ପକାଇ ଛୁଙ୍କ ଦିଅନ୍ତୁ। ଏବେ ଡାଲିକୁ ପକାଇ ସେଥିରେ କଟା ଶାଗକୁ ପକାନ୍ତୁ। ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ଲୁଣ ପକାଇ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ। ୧୦ରୁ ୧୫ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ବଥୁଆ ଡାଲି। ଏହାକୁ ଆପଣ ଭାତ କିମ୍ବା ରୁଟି ସହିତ ଖାଇପାରିବେ। ଏହା ବ୍ୟତୀତ ଆପଣ ବଥୁଆ ଶାଗ ଭଜା, ବରା, ରାଇ ଆଦି କରି ଖାଇପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: