କଦଳୀ ଭଣ୍ଡା ଆମ୍ବୁଲ ଦେଇ ବନାନ୍ତୁ ଏମିତି ସ୍ଵାଦିଷ୍ଟ ତରକାରୀ

କଦଳୀ ଭଣ୍ଡା ଆମ୍ବୁଲ ଦେଇ ବନାନ୍ତୁ ଏମିତି ସ୍ଵାଦିଷ୍ଟ ତରକାରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କଦଳୀ ଗଛ ର ଫୁଲ କୁ କଦଳୀ ଭଣ୍ଡା ଖିଆଯାଏ । ଏହି ଭଣ୍ଡାରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାରର ତରକାରି ପ୍ରସ୍ତୁତ କରାଯାଏ, ତନ୍ମଧ୍ୟରୁ କଦଳୀ ଭଣ୍ଡା ରାଇ ଗୋଟିଏ । ଏହା ଅତ୍ୟନ୍ତ ସ୍ଵାଦିଷ୍ଟ ହୋଇଥାଏ। କଦଳୀ ଭଣ୍ଡା ଗାଁ ଗୁଡିକରେ ବଡି ବଗିଚାରୁ ସହଜରେ ମିଯାଇଥାଏ। ନଚେତ୍ ସହରରେ ଆପଣ ଏହାକୁ ବଜାରରୁ କିଣି ଆଣି ପାରିବେ। ତେବେ ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ କଦଳୀ ଭଣ୍ଡା ରାଇ…

ଆବଶ୍ୟକ ସାମଗ୍ରୀ: କଦଳୀ ଭଣ୍ଡା ୧ଟା, ସୋରିଷ ୨ ଚାମଚ, ପୋସ୍ତ ୧ଚାମଚ, ଜିରା ଦେଢ଼ ଚାମଚ, ରସୁଣ ୧୦/୧୨ କୋଲା, କଞ୍ଚା ଲଙ୍କା ୨ତି, ଆଳୁ ମଝି ସାଇଜ ୨ଟି, କଖାରୁ ୨୦୦ ଗ୍ରାମ, ବାଇଗଣ ଗୋଟେ, ସୋରିଷ ତେଲ ଅଳ୍ପ, ଫୁଟଣ, ଶଖିଲା ଲଙ୍କା, ଲୁଣ, ହଳଦୀ, ଆମ୍ବୁଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଦଳୀ ଭଣ୍ଡାରୁ ଫୁଲ ଗୁଡ଼ିକୁ ଅଲଗା କରିଦିଅନ୍ତୁ। ଫୁଲର ମଝିରେ ସୂତାପରି ଗୋଟିଏ ସରୁ ଓ ଲମ୍ବା କେଶର ରହିଥାଏ। ତାହାକୁ ଫୁଲରୁ ଅଲଗା କରିଦିଅନ୍ତୁ। ତା’ପରେ ଫୁଲ ଗୁଡ଼ିକୁ ଭଲ ଭାବରେ ଧୋଇ ରଖନ୍ତୁ ଓ ଶିଳରେ ବା ଗ୍ରାଇଣ୍ଡରରେ ଦରଟି କରି ବାଟି ଦିଅନ୍ତୁ। ବର୍ତ୍ତମାନ ଶୋରିଷ, ପୋସ୍ତ, ରସୁଣ, ଜିରା, କଞ୍ଚା ଲଙ୍କାକୁ ବାଟି ସମଲା ପ୍ରସ୍ତୁତ କରନ୍ତୁ। ପରେ ଆଳୁ, କଖାରୁ ଓ ବାଇଗଣକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ବର୍ତ୍ତମାନ କଡ଼େଇରେ କିଛି ସୋରିଷ ତେଲ ପକେଇ ସେଥିରେ ଅଳ୍ପ ଫୁଟଣ, ଶୁଖିଲା ଲଙ୍କା ପକାନ୍ତୁ। ଏବେ ସେଥିରେ କଟା ପରିବା ପକାଇ ଅଳ୍ପ ଭାଜି ସେଥିରେ ବଟା ହୋଇଥିବା କଦଳୀ ଭଣ୍ଡାକୁ ପକାଇ ଅଳ୍ପ ସମୟ ଭାଜନ୍ତୁ। ବର୍ତ୍ତମାନ ସେଥିରେ ସାମାନ୍ୟ ହଳଦୀ, ସ୍ୱାଦ ଅନୁଯାୟୀ ଲୁଣ ଓ ଆବଶ୍ୟକ ମୁତାବକ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ। ପରିବା ସିଝି ଆସିଲେ ସ୍ୱାଦ ବଢ଼ାଇବା ପାଇଁ ସେଥିରେ ଛୋଟ ଆମ୍ବୁଲ ଖଣ୍ଡେ ପକାନ୍ତୁ। ପ୍ରସ୍ତୁତ ହୋଇଗଲା କଦଳୀ ଭଣ୍ଡା ରାଇ। ଏହାକୁ ଗରମ ଭାତ ବା ପଖାଳ ସହିତ ଖାଇଲେ ଭଲ ଲାଗିଥାଏ। ଏହା ବ୍ୟତୀତ ଚକୁଳି ପିଠା ସହ ମଧ୍ୟ କଦଳୀ ଭଣ୍ଡା ରାଇ ଅଧିକ ସ୍ଵାଦିଷ୍ଟ ଲାଗିଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: