#BabaKaDhabha ଦୂର ହେଲା ବାବାଙ୍କ ଦୁଃଖ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୋସିଆଲ ମିଡିଆ ପାଇଁ ଦୂର ହୋଇଛି ବାବାଙ୍କ ଦୁଃଖ। ଦିଲ୍ଲୀ ମାଲବ୍ୟ ନଗରରେ ଢାବା କରିଥିବା ବାବାଙ୍କ ଦୁଃଖ ଦୂର ହୋଇଛି। କୋରୋନା କାଳରେ ଗ୍ରାହକ ଆସୁ ନ ଥିବାରୁ ଦୀର୍ଘ ଦିନ ଧରି ଦୁଃଖରେ ଥିବା ବାବାଙ୍କ ମୁହଁରେ ଏବେ ହସ ଦେଖିବାକୁ ମିଳିଛି। ଢାବା ଗ୍ରାହକଙ୍କ ସଂଖ୍ୟା ଏତେ ମାତ୍ରାରେ ବଢ଼ିଛି ଯେ, ବାବାଙ୍କ ପାଖରେ ବିଲକୁଲ ସମୟ ନାହିଁ। ସୋସିଆଲ ମିଡିଆରେ ତାଙ୍କ ଦୁଃଖ କାହାଣୀ ଭାଇରାଲ ହେବା ପରେ କ୍ରିକେଟରଙ୍କଠାରୁ ଫିଲ୍ମଷ୍ଟାର ପର୍ଯ୍ୟନ୍ତ ଅନେକ ସାହାଯ୍ୟର ହାତ ବଢ଼ାଇଛନ୍ତି। ବାବାଙ୍କ ଢାବାରେ ଖାଦ୍ୟର ସ୍ୱାଦ ଜାଣିବା ପାଇଁ ଆଜି ବହୁ ଲୋକ ତାଙ୍କ ଢାବାରେ ପହଞ୍ଚିଛନ୍ତି।

ଭିଡିଓ ଭାଇରାଲ ହେବା ମାତ୍ରେ କ୍ରିକେଟ୍ ଜଗତରୁ ବଲିଉଡ ପର୍ଯ୍ୟନ୍ତ ଲୋକମାନେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ ପାଇଁ ଖେଳୁଥିବା ଭାରତୀୟ ସ୍ପିନର ଆର. ଅଶ୍ୱିନ ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ, ମୁଁ ମଧ୍ୟ ସାହାଯ୍ୟ କରିବାକୁ ଚାହୁଁଛି। ତୁମେ ମୋତେ କୁହ ମୁଁ କିପରି ସେମାନଙ୍କୁ ସାହାଯ୍ୟ କରିପାରିବି। ବଲିଉଡ ଅଭିନେତ୍ରୀ ସୋନମ କପୁର ମଧ୍ୟ ବାବାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ଭିଡିଓ ସେୟାର କରିବା ସହ ଯେଉଁମାନେ ଏଠାରେ ଖାଦ୍ୟ ଖାଉଛନ୍ତି, ମୋତେ ଏକ ଫଟୋ ପଠାନ୍ତୁ , ମୁଁ ତୁମର ଫଟୋ ସହିତ ଏକ ସୁନ୍ଦର ଛୋଟ ବାର୍ତ୍ତା ସେୟାର କରିବି ବୋଲି ଉଲ୍ଲେଖ କରିଥିଲେ।

ବଡ଼ ତାରକାଙ୍କ ଟ୍ୱିଟ୍ ପରେ ବାବାଙ୍କ ଢାବାକୁ ଗ୍ରାହକଙ୍କ ଆଗମନ ବୃଦ୍ଧି ପାଇଛି। ଜଣେ ବୃଦ୍ଧଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ପାଇଁ ବାବାଙ୍କ ଢାବା ଏକ ଅଭିଯାନରେ ପରିଣତ ହୋଇଛି। କାହାର ଲୁହ ପୋଛିଦେବା ପାଇଁ ଦିଲ୍ଲୀର ଲୋକମାନେ କୋରୋନା ସମୟରେ ସାବଧାନତାର ସହ ବାବାଙ୍କ ଢାବାର ଖାଦ୍ୟ ସ୍ୱାଦ ନେବାକୁ ଆସୁଛନ୍ତି। ବାସ୍ତବରେ, ସୋସିଆଲ ମିଡିଆରେ ଏତେ ଶକ୍ତି ଅଛି ଯେ ଗୋଟିଏ ଦିନରେ ଘଟଣାକୁ ମାଟିରୁ ଆକାଶ ଓ ଆକାଶରୁ ମାଟିରେ ପହଞ୍ଚାଇ ଦେଇପାରେ। ଏହା ମଧ୍ୟ କାହାର ଜୀବନ ବଦଳାଇପାରେ।

%d bloggers like this: