ଅଳକା ଆଶ୍ରମ ଶତବାର୍ଷିକୀ ସ୍ମାରକୀ ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚିତ

ଅଳକା ଆଶ୍ରମ ଶତବାର୍ଷିକୀ ସ୍ମାରକୀ ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚିତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଐତିହାସିକ ଅଳକା ଆଶ୍ରମର ଶତବାର୍ଷିକୀ ସ୍ମାରକୀ ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚିତ ହୋଇ ଯାଇଛି। ଭାରତୀୟ ଡାକ ବିଭାଗ ଓଡ଼ିଶା ସର୍କଲ ଆନୁକୂଲ୍ୟରେ ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଏକାଦଶ ତମ ଡାକଟିକେଟ ପ୍ରଦର୍ଶନୀ ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟଳୟର ପ୍ରଧାନ ବିଚାରପତି ମୁରଲୀଧରଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି ଏହି ସ୍ଵତନ୍ତ୍ର ଡାକ ଲଫାପା। ଓଡ଼ିଶା ଡାକ ସର୍କଲର ମହାଡାକପାଳ ଶୁଭେନ୍ଦୁ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଭାରତୀୟ ଡାକ ମନ୍ତ୍ରଣାଳୟର ସଚିବ ବିନୀତ ପାଣ୍ଡେ ଯୋଗଦେଇଥିବା ବେଳେ ଅଳକା ଆଶ୍ରମ ଶତବାର୍ଷିକୀ ଆୟୋଜନ କମିଟିର ସଦସ୍ୟ ପ୍ରଶାନ୍ତ ଦାସ ଉପସ୍ଥିତ ଥିଲେ।

ଭାରତୀୟ ମୁକ୍ତି ସଂଗ୍ରାମରେ ଅନନ୍ୟ ଭୂମିକା ଗ୍ରହଣ କରିଥିବା ଏହି ଐତିହାସିକ ଅନୁଷ୍ଠାନର ଗୁରୁତ୍ବ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ପାଖରେ ଉପସ୍ଥାପନା କରିବା ପାଇଁ ଏହାଏକ ସୁନ୍ଦର ପ୍ରୟାସ ବୋଲି ମୁଖ୍ୟ ବିଚାରପତି ପ୍ରକାଶ କରିଥିଲେ। ଅସହଯୋଗ ଆନ୍ଦୋଳନର ପୃଷ୍ଠ ଭୂମିରେ ପ୍ରତିଷ୍ଠିତ ହୋଇ ଆଇନି ଅମାନ୍ଯ ଆନ୍ଦୋଳନ ସମୟରେ ସାରା ଓଡ଼ିଶାରେ ଗାନ୍ଧୀବାଦକୁ ପ୍ରଚାର ଓ ପ୍ରସାର କରିବା ସହିତ ସ୍ବାଧୀନତା ସଂଗ୍ରାମୀଙ୍କୁ ପ୍ରଶିକ୍ଷଣ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ଅନୁଷ୍ଠାନ ବ୍ୟାପକ ରୂପ ଧାରଣ କରିଥିଲା। ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମୀଙ୍କ ଏନ୍ତୁଡିଶାଳ ଭାବେ କ୍ଷାତ ଏହି ଅନୁଷ୍ଠାନର ଶତବାର୍ଷିକ ସମାରୋହ ୨୦୨୨ ମସିହା ସରସ୍ବତୀ ପୂଜା ଅବସରରେ ଶିକ୍ଷାବିତ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ଓ ପ୍ରଶାସକ ସାହିତ୍ୟିକ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସଭାପତିତ୍ଵରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ଦ୍ବାରା ଉଦଘାଟିତ ହୋଇ ୨୦୨୩ ମସିହା ସରସ୍ବତୀ ପୂଜା ପର୍ଯ୍ୟନ୍ତ ଏକ ବର୍ଷ ଅବଧି ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାଳନ କରାଯାଉଛି।

ଏହି ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚନ ଦ୍ବାରା ଆଗାମୀ ପିଢୀଙ୍କ ମଧ୍ୟରେ ଏହାର ଇତିହାସ ପ୍ରତି ଜିଂଜ୍ଞାସା ବୃଦ୍ଧି ପାଇବ ବୋଲି ଆବାହକ ଶ୍ରୀ ରାଉତ ଆଶା ପୋଷଣ କରିଛନ୍ତି। ଏହି ଅବସରରେ ସଂଗଠନର ସଦସ୍ୟ ରବିନାରାୟଣ ଷଡଙ୍ଗୀ, ଆଲୋକ ରଞ୍ଜନ ଦାସ, ସନାତନ ଦାସ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଡାକ ବିଭାଗର ଏପରି କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: