ବିସ୍ମୃତି ଗର୍ଭରୁ ଅସ୍ତିତ୍ଵ ଫେରି ପାଇଲା ସ୍ବାଧୀନତା ସଂଗ୍ରାମୀଙ୍କ ଅନ୍ତୁଡିଶାଳ ଅଳକା ଆଶ୍ରମ

ବିସ୍ମୃତି ଗର୍ଭରୁ ଅସ୍ତିତ୍ଵ ଫେରି ପାଇଲା ସ୍ବାଧୀନତା ସଂଗ୍ରାମୀଙ୍କ ଅନ୍ତୁଡିଶାଳ ଅଳକା ଆଶ୍ରମ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଜାତୀୟ ମୁକ୍ତି ସଂଗ୍ରାମକୁ ଓଡ଼ିଶାର ପୁରପଲ୍ଲୀରେ ପହଞ୍ଚାଇବାରେ ଏକ ଅନନ୍ୟ ଭୂମିକା ନିର୍ବାହ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ଏନ୍ତୁଡିଶାଳ ଭାବେ ଖ୍ୟାତ ଅଳକା ଆଶ୍ରମ ୧୯୩୨ ମସିହାରେ ଭସ୍ମୀଭୂତ ହୋଇ ତାର ଅସ୍ତିତ୍ଵ ହରାଇଥିଲା । ୧୯୨୨ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ଐତିହାସିକ ଅନୁଷ୍ଠାନର ପୁନରୁଦ୍ଧାର କାର୍ଯ୍ୟ ଏହାର ଶତବାର୍ଷିକୀ ସମାରୋହର ସମାବର୍ତ୍ତନ ଉତ୍ସବ ଅବସରରେ ସଫଳ ହୋଇଛି । ଓଡ଼ିଶାର ମହାମିହମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ଦ୍ବାରା ଆଭାଷୀ ଉପସ୍ଥିତି ତଥା ଦେଶର ବିଶିଷ୍ଟ ଗାନ୍ଧି ଅନୁଗାମୀ ପଦ୍ମଭୂଷଣ ଡଃ ବିନ୍ଧେଶ୍ଵର ପାଠକଙ୍କ ଦ୍ବାରା ଏହାର ଏକ ସ୍ମାରକୀ ଗୃହ ଜଗତସିଂହପୁର ଠାରେ ଲୋକାର୍ପିତ ହୋଇଯାଇଛି ।

ବିସ୍ମୃତି ଗର୍ଭରୁ ଅସ୍ତିତ୍ଵ ଫେରି ପାଇଲା ସ୍ବାଧୀନତା ସଂଗ୍ରାମୀଙ୍କ ଅନ୍ତୁଡିଶାଳ ଅଳକା ଆଶ୍ରମ

ଦିଲ୍ଲୀ ଓଡିଆ ବୁଦ୍ଧିଜୀବୀ ଫୋରମର ଅଧ୍ୟକ୍ଷ ଶିକ୍ଷାବିତ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ଓ ପୂର୍ବତ୍ତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମଗ୍ର ଜଗତସିଂହପୁର ଜିଲ୍ଲାର ବୁଦ୍ଧିଜୀବୀ, ଯୁବକ ତଥା ସାଧାରଣ ଜନତାଙ୍କୁ ନେଇ ଗଠିତ ଶତବାର୍ଷିକୀ କମିଟିର ପ୍ରୟାସରେ ନିରବିଚ୍ଛିନ୍ନ ପ୍ରୟାସ ଦ୍ବାରା ଏହି ବିରଳ କାର୍ଯ୍ୟ ସଫଳ ହୋଇଛି । ଏହି ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଉପେନ୍ଦ୍ରନାଥ ତ୍ରିପାଠୀ, ଓଡ଼ିଶା ସରକାରଙ୍କ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ, ଜଗତସିଂହପୁର ପୌରପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂ ପ୍ରମୁଖ ଯୋଗଦେଇ ଏହି ଐତିହାସିକ ଅନୁଷ୍ଠାନର ସ୍ମୃତିଚାରଣ କରିଥିଲେ

ସ୍ୱାଧୀନତା ସଂଗ୍ରାମରେ ଏହି କାଳଜୟୀ ଅନୁଷ୍ଠାନ ଅପୂର୍ବ ତ୍ୟାଗ ଓ ବଳିଦାନର ଅବିସ୍ମରଣୀୟ କର୍ମଭୂମୀ ଯାହାର ପୁନରୁଦ୍ଧାର ଆଗାମୀ ପିଢି ପାଇଁ ଅମୃତ ମହୋତ୍ସବ କାଳରେ ଏକ ଅପୂର୍ବ ଉପହାର ବୋଲି ମହାମହିମ ରାଜ୍ୟପାଳ ପ୍ରକାଶ କରିଥିଲେ| ଉଦ୍ଧାଘାଟନୀ ଉତ୍ସବ ପରେପରେ ଓଡ଼ିଶାର ବିଶିଷ୍ଟ ଐତିହାସିକ ପ୍ର ନିବେଦିତା ମହାନ୍ତି, ଅବସରପ୍ରପ୍ତ ଆୟକର ନିର୍ଦେଶକ ପ୍ରସନ୍ନ ଦାସ, ବରିଷ୍ଟ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି, ଶିକ୍ଷାବିତ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଓ ଯୁବ ସାହିତ୍ୟିକ ପରମବ୍ରହ୍ମ ତ୍ରିପାଠୀ ଅଳକା ଆଶ୍ରମର ଇତିବୃତି ଉପରେ ବିଶେଷ ଉପସ୍ଥାପନା ରଖିଥିଲେ| ପ୍ରଥମଦିନର ଅନ୍ତିମ ପର୍ଯ୍ୟାୟରେ ପୂର୍ବତ୍ତନ ମନ୍ତ୍ରୀ ଡଃ ଦାମୋଦର ରାଉତ, ପୂର୍ବତନ ସାଂସଦ ଡଃ କୁଳମଣି ସାମଲ, ବିଭୁପ୍ରସାଦ ତରାଇ, ପୂର୍ବତନ ବିଧ୍ୟାୟକ ଜ୍ଯୋତିଷ ଚନ୍ଦ୍ର ଦାସ, ବିନାୟକ ପଟ୍ଟନାୟକ ଅଳକା ଆଶ୍ରମ କିପରି ଜାତୀୟ ସ୍ତରରେ ଓଡ଼ିଶାର ଗୌରବକୁ ଉପସ୍ଥାନ କରୁଛି ତାହା ବର୍ଣ୍ଣନା କରିଥିଲେ|

ଦ୍ୱିତୀୟ ଦିନରେ ଆବାହକ ଶ୍ରୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ଜାତୀୟ ଖଦି ବୋର୍ଡର ପୂର୍ବତ୍ତନ ଅଧ୍ୟକ୍ଷ ତଥା ହରିଜନ ସେବକ ସଂଘର ଜାତୀୟ ଉପସଭାପତି ଡଃ ଲକ୍ଷ୍ମୀ ଦାସ, ବିଶିଷ୍ଟ ସ୍ତମ୍ବକାର ଡଃ ଭଗବାନ ପ୍ରକାଶ, ପ୍ରଖ୍ୟାତ ଗାନ୍ଧୀ ଦର୍ଶନର ଲେଖକ ପ୍ରହଲ୍ଲାଦ ସିଂ, ସର୍ବୋଦୟ ଗାନ୍ଧୀବାଦୀ କର୍ମୀ ଡଃ ଆଦିତ୍ୟ ପଟ୍ଟନାୟକ, ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଡଃ ଅରୁନ୍ଧତୀ ଦେବୀ, ବିଶିଷ୍ଟ ସମାଜସେବୀ ଡଃ ରିନା ରାଉତରାୟ ଯୋଗଦେଇ ଗାନ୍ଧୀ ଦର୍ଶନ କିପରି ମାନବ ସମାଜର ସମସ୍ତ ସମସ୍ୟାର ସର୍ବକାଳୀନ ସମାଧାନ ବୋଲି ଆଲୋଚନା କରିଥିଲେ । ପରେ ପରେ ଜଗତସିଂହପୁର ପୁରର ସମସ୍ତ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ପୂର୍ବତ୍ତନ ପୌରପରିଷଦ ଅଧ୍ୟକ୍ଷ ମାନେ ଯୋଗଦେଇ ଅଳକା ଆଶ୍ରମ କିପରି ଜଗତସିଂହପୁର ମାଟିର ଏକ ଗୌରବ ମୟ ପରିଚୟ ବୋଲି ବର୍ଣ୍ଣନା କରିଥିଲେ । ସେମାନଙ୍କ ମଧ୍ୟରେ ଶ୍ରୀ ନଟବର ବାରିକ, ସବିତା ମହାପାତ୍ର, ମଧୁସୂଦନ ସାହୁ, ବିପ୍ଲବ ଚୌଧୁରୀ ଓ ପ୍ରଶାନ୍ତ ଦାସ ପ୍ରମୁଖ ଅଟନ୍ତି । ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମ ସମୟରେ ମହିଳା ସଶକ୍ତି କରଣର ଆଦ୍ୟ କର୍ମଭୂମି ଭାବେ କାର୍ଯ୍ୟକରିଥିବା ଅଳକା ଆଶ୍ରମ ଉପରେ ତୃତୀୟ ଦିନରେ ସଶକ୍ତ ମହିଳା ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେମାନଙ୍କ ମଧ୍ୟରେ ସୁରେଖା ସୁନ୍ଦରୀ ସ୍ବାଇଁ, ପ୍ରୀତିନନ୍ଦା ରାଉତରାୟ, ଡଃ ରୋଜାଲିନୀ ପାଟ୍ଟଶାହାଣୀ, ଡଃ ଜ୍ୟୋତିର୍ମୟୀ ମହାନ୍ତି, ପ୍ରେମଲତା ବାରିକ, ସ୍ନେହମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ମହିଳା ସଶକ୍ତି କରଣ ଓ ସାମାଜିକ ଉତ୍ଥାନ ଉପରେ ମତ ରଖିଥିଲେ|।

ଅନ୍ତିମ ପର୍ବରେ ଶତବାର୍ଷିକୀ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଗୌରାଙ୍ଗ ଚରଣ ହୋତାଙ୍କ ସଭାପତିତ୍ୱରେ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂ, ଆବାହକ ଦେବେନ୍ଦ୍ର ନାଥ ରାଉତ, କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଶୋକ କୁମାର କର୍ଣ୍ଣ, ପ୍ରଶାସକ ପ୍ରଣବ ଦେ, ଉପସଭାପତି ଭଗବାନ ଦାସ, ସୁରେନ୍ଦ୍ର ନାଥ ତ୍ରିପାଠୀ, ସଂଯୋଜକ ନଗେନ୍ଦ୍ର ନାଥ ବିଶ୍ବାଳଙ୍କ ଉପସ୍ଥିତିରେ ବର୍ଷବ୍ଯାପୀ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି ତିନି ଦିନ ବ୍ୟାପି ସମାବର୍ତ୍ତନ ଉତ୍ସବ ଅବସରରେ ସ୍ବାଧୀନତା ସଂଗ୍ରାମୀଙ୍କ ବଂଶଧର ମାନଙ୍କୁ ସମ୍ମାନିତ କରାଯିବା ସହିତ ସେହି ମହାନ ବ୍ଯକ୍ତିତ୍ବମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

ଏହି ପ୍ରରିପ୍ରେକ୍ଷୀରେ ଅଳକା ଆଶ୍ରମ ତଥା ସମ୍ପୂର୍ଣ ସହରରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ରାମଧୁନରେ ପ୍ରକମ୍ପିତ ହେବା ସହିତ ବିଭିନ୍ନ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯିବା, ଓଡ଼ିଶାର ବିଶିଷ୍ଟ କଳା ଗୋଟିପୁଅ ନୃତ୍ୟ ଓ ମୋଗଲ ତାମସା ପରିବେଷଣ କରାଯାଇଥିଲା| ଏହି କାର୍ଯ୍ୟକ୍ରମକୁ ଅଳକା ଆଶ୍ରମ ଶତବାର୍ଷିକୀ ସମାରୋହ କମିଟିର ସଦସ୍ୟମାନେ ସୂଚାରୁରୂପେ ପରିଚାଳନା କରିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: