ବିଜେପି ପାଇଁ SAD ନ୍ୟୁଜ୍: କୃଷି ବିଲ୍ କୁ ବିରୋଧ କରି NDA ଛାଡ଼ିଲା ଅକାଳି ଦଳ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  କୃଷି ବିଲ୍ କୁ ବିରୋଧ କରି ବିଜେପି ନେତୃତ୍ୱାଧିନ ଏନଡିଏ ଛାଡ଼ିଲା ଶିରୋମଣି ଅକାଳି ଦଳ । କୃଷି ବିଲ୍ ନେଇ ବିଜେପି ସହ ମତଭେଦ ହେବା, ବିଲ୍ ବିପକ୍ଷରେ ଯିବା, ସଂସଦରେ ଏହାକୁ ବିରୋଧ କରିବା ଜଣେ ପ୍ରତିନିଧି ମନ୍ତ୍ରୀ ପଦ ଛାଡ଼ିବା ନିଷ୍ପତ୍ତି ପରେ ଏନଡିଏରୁ ନିଜକୁ ଅଲଗା କରିଛି ଶିରୋମଣି ଅକାଳି ଦଳ । ଏନେଇ ଦଳର ବରିଷ୍ଠ ନେତୃ ବୃନ୍ଦ ଜରୁରୀକାଳିନ ବୈଠକ ଡାକି ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି ।

ପୂର୍ବରୁ କେନ୍ଦ୍ରରେ ମନ୍ତ୍ରୀ ଥିବା ଦଳର ହରସିମ୍ରତ କୌର ମଧ୍ୟ ମନ୍ତ୍ରି ପଦରୁ ଇସ୍ତଫା ଦେଇ ସାରିଥିଲେ । ସଂସଦରେ ପାରିତ ହୋଇଥିବା ଦୁଇଟି କୃଷି ବିଲ୍ କୃଷକ ବିରୋଧୀ ଏବଂ ଏହା ଦ୍ୱାରା ଚାଷୀ ଅଧିକ କ୍ଷତି ସହିବେ ବୋଲି ଅଭିଯୋଗ ଆଣି ଦଳ ପଞ୍ଜାବ, ହରିୟାଣାରେ ବିରୋଧ ଜାରି ରଖିଛି । ଦୁଇ ଦିନ ତଳେ ଭାରତ ବନ୍ଦ ଡାକରା ମଧ୍ୟ ଦେଇଥିଲା ଯାହାକୁ ଦେଶର ବିଭିନ୍ନ ପ୍ରାନ୍ତରେ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ସମର୍ଥନ କରିଥିଲେ । କଂଗ୍ରେସ ମଧ୍ୟ ଆରମ୍ଭରୁ ଏହି ବିଲ୍ କୁ ବିରୋଧ କରି ଆସୁଛି ।

ମୋଦି ସରକାରଙ୍କ କୃଷି ବିଲ୍ କୁ ସବୁଠୁ ଅଧିକ ବିରୋଧ କରୁଛି ଶିରୋମଣି ଅକାଳି ଦଳ । ଏହାର ମୁଖ୍ୟ ସୁଖବୀର ସିଂ ବାଦଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୃଷ୍ଟି ଆକର୍ଷଣ କରି ଚାଷୀଙ୍କ ପ୍ରତି ନ୍ୟାୟ କରିବାକୁ ନିବଦନ କରିଛନ୍ତି । କୃଷି ବିଲ୍ କୁ ମଞ୍ଜୁର ପ୍ରଦାନ ନ କରିବାକୁ ସେ ନିବେଦ କରିଛନ୍ତି । ପଞ୍ଜାବର ଶିରୋମଣି ଅକାଳି ଦଳ ହେଉଛି ଭାରତୀୟ ଜନତା ପାର୍ଟି ଏବଂ ଏନଡିଏର ସବୁଠାରୁ ପୁରୁଣା ସହଯୋଗୀ ।

ସେପଟେ ଅକାଳି ଦଳ ମୁଖ୍ୟ କହିଛନ୍ତି ଯେ, ଯେତେ ଯାହା ହେଲେ ବି ସେମାନେ ଚାଷୀଙ୍କ ଅଧିକାର ପାଇଁ ଲଢ଼ିବେ । ନ୍ୟାୟ ଦେବା ପାଇଁ ସଂଗ୍ରାମ ଜାରି ରଖିବେ ।

%d bloggers like this: