ଆସୁଛି ଜଓ୍ଵାଦ ପ୍ରସ୍ତୁତ ରୁହ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆସନ୍ତା ୪ ତାରିଖରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ଜଓ୍ଵାଦ। ତେବେ ଏହା କେଉଁଠି ଲ୍ୟାଣ୍ଡଫଲ୍‌ କରିବ ସ୍ପଷ୍ଟ ହୋଇନାହିଁ। ଓଡ଼ିଶା ଉପକୂଳରେ ପବନର ବେଗ ୭୦ରୁ ୯୦ କିମି ମଧ୍ୟରେ ରହିବ ବୋଲି କୁହାଯାଉଛି । ୩ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ୪ ଓ ୫ ତାରିଖ ପାଇଁ ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି। ଏହି ୪ ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର। ଏହାସହ ୭ ଜିଲ୍ଲାକୁ ଅରେଞ୍ଜ ଓ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ବେଗ ୧୦୦ରୁ ୧୧୦ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ଆର୍‌. ବିଶ୍ବାସ ଏହି ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଜୋରସୋରରେ ଚଳାଇଛନ୍ତି।ସମ୍ଭାବ୍ୟ ବାତ୍ୟା ଜଓ୍ଵାଦର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ତଳି ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା, ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀକୁ ପୂର୍ଣ୍ଣ ପ୍ରସ୍ତୁତ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ଆଶ୍ରୟସ୍ଥଳ ପରିଚାଳନା ଟିମ୍‌ଙ୍କୁ ପୂର୍ବରୁ କାର୍ଯ୍ୟରେ ନିୟୋଜିତ କରିବା, ଶୁଖିଲା ଖାଦ୍ୟ ଓ ରିଲିଫ ଉପଲବଧି ବାବଦରେ ସଜାଗ ରହିବା, ମାଇକ୍‌ ଯୋଗେ ଲୋକଙ୍କୁ ଆଗୁଆ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ମୁକାବିଲା ପାଇଁ ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶନ ବାହିନୀକୁ ସଜାଗ ରଖାଯାଇଛି ।ପ୍ରାୟ ୧୦୮ ଓଡ୍ରାଫ, ୨୦୦ ଅଗ୍ନିଶନ ବାହିନୀ ଟିମକୁ ଆବଶ୍ୟକତା ଅନୁସାରେ ମୁତୟନ କରାଯିବ । ପାଚିଲା ଫସଲ ଅମଳ କରି ନିରାପଦ ସ୍ଥାନକୁ ନେବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । କେବଳ ସେତିକି ନୁହେଁ ଏହି ବାତ୍ୟା ପାଇଁ ୩ ଓ ୪ ତାରିଖରେ ୯୫ ଟି ଟ୍ରେନ ବାତିଲ କରାଯାଇଛି।

Leave a Reply

Your email address will not be published. Required fields are marked *